ସେଦିନ ମେଘୁଆ ସକାଳର
ଟପ୍ ଟପ୍ ବର୍ଷାରେ
ମୋ ହୃଦୟର ନିଶବ୍ଦ ଆକର୍ଷଣରୁ
ଅଙ୍କୁରିଥିଲେ ଶାଗୁଆ ଜୀବନ ମାନେ
ନୀଳାଭ ଆକାଶ ତଳେ
ବତୁରିଥିଲା ହୃଦୟର ଚୌକାନ୍ଥ
ପେନ୍ଥା ପେନ୍ଥା ନୀଳ ସ୍ବପ୍ନ ସବୁ
ଉଙ୍କିମାରୁଥିଲେ,
ହୃଦୟ ଝର୍କାର ଆରପାଖେ।
ମୋ ଅନୁରାଗର ଆକାଶରୁ
ଜିଦ୍ କରି ଝରିପଡିଥିଲେ
କେଇବୁନ୍ଦା ବର୍ଷା........
ସେ ବର୍ଷାରେ ଅଜଣା ଆତ୍ମୀୟତାର
ମହମହ ବାସ୍ନା..........
ଆଉ ସେ ବାସ୍ନାରେ ମୁଁ ଆଲିଙ୍ଗୀ ଥିଲି
ଏକ ଅପରିକଳ୍ପିତ ଚେହେରା......।
ପହିଲି ଶ୍ରାବଣର ବର୍ଷାରେ
ପ୍ରଥମ ଦେଖାର ଉତ୍ସୁକତା,
ଦୁଇ ଅଚିହ୍ନା ହୃଦୟରେ
ଅସରନ୍ତି ଉଜ୍ଜୀବିତ ଆଶା,
ମୋ ଦେହର ଝାଳ ମାନେ
ସ୍ରୋତସ୍ୱିନୀ ନଇଟିଏ ହୋଇ
ବହିଗଲେ............।
ମୁଁ ଏବେ ପାଖରେ!
ଖୁବ୍ ତା' ପାଖରେ!
ମୋ ବିଶ୍ୱାସର ସଡ଼କରେ
ମୁଁ ଆଶ୍ଚର୍ଯ୍ୟାନ୍ବିତ ....!
ଦଳେ କଥାକୁହା-
ସଜୀବ ମାନଙ୍କର କୋଳାହଳରେ..
ଓସ୍ତଗଛ ଉହାଡରେ
ଅସ୍ତଗାମୀ ସୂର୍ଯ୍ୟଙ୍କ ସହ
ସେ ଫେରିଯାଇଥିଲ....
ନିଷ୍ପେସି ଅନ୍ଧାରି ମୂଲକ କୁ।
ତା' ହାତରେ ରକ୍ତଭିଜା ଗୋଲାପ
ଆଉ ତା' ଲୁହଭିଜା ଡାଏରୀରେ,
ଲିପିବଦ୍ଧ ଦୁଇଟି ନାମ...
ଆକାଶ ଆଉ ବର୍ଷା।
ଜଣେ ନିଷ୍ପ୍ରଭ!
ମିଶିଥିଲା ଆକାଶ ଛାତିରେ...
ଆଉ ଜଣେ ଭିଜୁଥିଲା
ଉଦାସୀ ଶ୍ରାବଣର ବର୍ଷାରେ...।
ଅଜୟ କୁମାର ଜେନା
ବଡ଼ରମ୍ପାସ,କେନ୍ଦୁଝର


0 Comments